ଶକୁନ୍ତଳା
ହିନ୍ଦୁ ପୁରାଣରେ ଶକୁନ୍ତଳା (ସଂସ୍କୃତ: शकुन्तला) ଦୁଷ୍ମନ୍ତଙ୍କ ପତ୍ନୀ ଏବଂ ସମ୍ରାଟ ଭରତଙ୍କ ମାତା ।[୧] ତାଙ୍କ କାହାଣୀ ମହାଭାରତରେ ବର୍ଣ୍ଣିତ ଏବଂ ଏହି କାହାଣୀ ମଧ୍ୟ ଅନେକ ଲେଖକଙ୍କଦ୍ୱାରା ନାଟକ ଭାବେ ରଚନା କରାଯାଇଛି । କାଳିଦାସଙ୍କ ରଚିତ ଅଭିଜ୍ଞାନ ଶାକୁନ୍ତଳମ ହେଉଛି ଏହି କାହାଣୀ ଉପରେ ଆଧାରିତ ସବୁଠାରୁ ପ୍ରସିଦ୍ଧ ନାଟକ ।[୨]
ଜନ୍ମ
[ସମ୍ପାଦନା]ଥରେ ବିଶ୍ୱାମିତ୍ର ଜଣେ ବ୍ରହ୍ମର୍ଷିର ମାନ୍ୟତା ପାଇବା ପାଇଁ ତପସ୍ୟା କରିବା ଆରମ୍ଭ କଲେ । ତାଙ୍କର କଠୋର ତପରେ ଇନ୍ଦ୍ର ଭୟଭୀତ ହେଲେ । ସେ ଭୟ କରୁଥିଲେ ଯେ ବିଶ୍ୱାମିତ୍ର ତାଙ୍କ ଇନ୍ଦ୍ର ପଦ ଚାହାଁନ୍ତି । ତାଙ୍କର ତପସ୍ୟା ଭଙ୍ଗ କରିବା ପାଇଁ ଇନ୍ଦ୍ର ମେନକା ନାମ୍ନୀ ଏକ ଅପସରା ପଠାଇଲେ । ମେନକା ବିଶ୍ୱାମିତ୍ରଙ୍କ ଧ୍ୟାନ ସ୍ଥଳରେ ପହଞ୍ଚି ତାଙ୍କୁ ପ୍ରଲୋଭିତ କରିବାକୁ ଲାଗିଲେ । ବିଶ୍ୱାମିତ୍ର ତାଙ୍କର କାମନାକୁ ନିୟନ୍ତ୍ରଣ କରିପାରିନଥିଲେ ଏବଂ ଫଳରେ ତାଙ୍କର ତପ ଭଙ୍ଗ ହୋଇଯାଇଥିଲା । ବିଶ୍ୱାମିତ୍ର ଏବଂ ମେନକା କିଛି ବର୍ଷ ଏକାଠି ରହିଲେ ଏବଂ ସେମାନଙ୍କ ଔରସରୁ ଏକ ଝିଅ ଜନ୍ମ ହେଲା । ପରେ ବିଶ୍ୱାମିତ୍ର ହୃଦୟଙ୍ଗମ କଲେ ଯେ ଇନ୍ଦ୍ର ହିଁ କୌଶଳ ପୂର୍ବକ ତାଙ୍କ ତପ ଭଙ୍ଗ କରିଛନ୍ତି । ସେ ଅନୁଭବ କଲେ ଯେ ତାଙ୍କର କାମନାକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ବିଶ୍ୱାମିତ୍ର ମେନକାଙ୍କୁ ପରିତ୍ୟାଗ କଲେ । ମେନକା ମଧ୍ୟ ଜନ୍ମିତ କନ୍ୟା ଶିଶୁଟିକୁ ଋଷି କଣ୍ୱଙ୍କ ଆଶ୍ରମରେ ଛାଡି ସ୍ୱର୍ଗକୁ ଫେରିଯାଇଥିଲେ ।[୩] ଋଷି କଣ୍ୱ ସେହି ଆଶ୍ରମରେ କନ୍ୟା ଶିଶୁଟିକୁ ଶକୁନ୍ତ ପକ୍ଷୀଙ୍କଦ୍ୱାରା ଘୋଡାଇହୋଇ ପଡିଥିବାର ଦେଖିଲେ । ତେଣୁ, ସେ ତାଙ୍କୁ ଶକୁନ୍ତଳା (ସଂସ୍କୃତ: शकुन्तला) ନାମ ଦେଲେ, ଯାହାର ଅର୍ଥ ଶକୁନ୍ତଙ୍କଦ୍ୱାରା ସୁରକ୍ଷିତ ।[୪]
ଦୁର୍ବାସାଙ୍କ ଅଭିଶାପ
[ସମ୍ପାଦନା]ଜଙ୍ଗଲରେ ଶୀକାର କରିବା ବେଳେ ଏକ ପୁରୁଷ ହରିଣ ଶରବିଦ୍ଧ ତଥା ଆହତ ହୋଇ ଦୌଡି ପଳାଇବାରୁ ରାଜା ଦୁଷ୍ମନ୍ତ ତାହାକୁ ଗୋଡାଉଥିଲେ । ଏହି ସମୟରେ ତାଙ୍କର ସାକ୍ଷାତ ହୁଏ ସୁନ୍ଦରୀ ଶକୁନ୍ତଳାଙ୍କ ସହ । ଶକୁନ୍ତଳାଙ୍କ ରୂପ ଲାବଣ୍ୟରେ ମୁଗ୍ଧ ହୋଇ ଦୁଷ୍ମନ୍ତ ଶକୁନ୍ତଳାଙ୍କୁ ବିବାହ କରିବାକୁ ଚାହିଁଲେ ଏବଂ ଗାନ୍ଧର୍ବ ରୀତିରେ ଉଭୟେ ବିବାହ କରିଥିଲେ । ଶୀକାର ଅନ୍ତେ ରାଜା ଦୁଷ୍ମନ୍ତ ଶକୁନ୍ତଳାଙ୍କୁ ତାଙ୍କ ରାଜପ୍ରାସାଦକୁ ଆଣିବାର ପ୍ରତିଶୃତିର ପ୍ରତୀକ ଭାବରେ ନିଜ ଆଙ୍ଗୁଠିର ମୁଦ୍ରିକା ଦେଇ ନିଜ ରାଜ୍ୟକୁ ଫେରିଯାଇଥିଲେ ।
କଣ୍ୱ ଋଷିଙ୍କ ଆଶ୍ରମରେ ରହି ଶକୁନ୍ତଳା ତାଙ୍କ ନୂତନ ସ୍ୱାମୀଙ୍କ ସ୍ୱପ୍ନରେ ବହୁ ସମୟ ଅତିବାହିତ କରିଥିଲେ ଏବଂ ଅନେକ ସମୟରେ ତାଙ୍କ ସ୍ୱପ୍ନରେ ବିଚଳିତ ମଧ୍ୟ ହୋଇଥିଲେ । ଦିନେ ଋଷି ଦୁର୍ବାସା କଣ୍ୱଙ୍କ ଆଶ୍ରମକୁ ଆସିଥିଲେ କିନ୍ତୁ ଶକୁନ୍ତଳା ଦୁଷ୍ମନ୍ତଙ୍କ ଚିନ୍ତାରେ ଏପରି ଭାବନାରେ ହଜିଯାଇଥିଲେ ଯେ, ସ୍ୱଭାବତଃ କ୍ରୋଧୀ ଋଷି ଦୁର୍ବାସାଙ୍କ ସଠିକ୍ ଅଭିବାଦନ କରିବାରେ ବିଫଳ ହୋଇଥିଲେ । ଏହି କାରଣରୁ ଋଷି ଶକୁନ୍ତଲାଙ୍କୁ ଅଭିଶାପ ଦେଇ କହିଥିଲେ ଯେ, ସେ ଯାହାଙ୍କୁ ସ୍ୱପ୍ନରେ ଦେଖୁଥିଲେ ସେ ତାଙ୍କୁ ଭୁଲିଯିବେ । ଋଷି ଦୁର୍ବାସା ରାଗରେ ବିଦାୟ ନେବାବେଳେ ଶକୁନ୍ତଲାଙ୍କ ଜଣେ ବାନ୍ଧବୀ ସାଙ୍ଗେ ସାଙ୍ଗେ ଋଷିଙ୍କ ନିକଟରେ ପହଞ୍ଚି ଶକୁନ୍ତଳାଙ୍କ ଅନ୍ୟମନସ୍କତାର କାରଣ ବୁଝାଇଦେଇଥିଲେ । ଏଭଳି କ୍ଷେତ୍ରରେ ତାଙ୍କର ଅତ୍ୟଧିକ କ୍ରୋଧ ଯଥାର୍ଥ ନୁହେଁ ବୋଲି ଅନୁଭବ କରି ଋଷି ତାଙ୍କ ଅଭିଶାପକୁ ବଦଳାଇ କହିଥିଲେ ଯେ ଶକୁନ୍ତଳାଙ୍କୁ ଭୁଲିଯାଇଥିବା ବ୍ୟକ୍ତି ଯଦି ତାଙ୍କୁ ଦିଆଯାଇଥିବା ବ୍ୟକ୍ତିଗତ ଉପହାର ଦେଖାନ୍ତି ତେବେ ସବୁକିଛି ତାଙ୍କର ଅମନେ ପଡିଯିବ ।[୨]
ଦୁଷ୍ମନ୍ତଙ୍କ ସହ ମିଳନ
[ସମ୍ପାଦନା]ସମୟ ଅତିବାହିତ ହେଲା କିନ୍ତୁ ଦୁଷ୍ମନ୍ତ ନ ଫେରିବାରୁ ଶକୁନ୍ତଳା ଆଶ୍ଚର୍ଯ୍ୟ ହେଲେ ଯେ ଦୁଷ୍ମନ୍ତ ତାଙ୍କ କଥା ମୁତାବକ ତାଙ୍କୁ ରାଣୀରୂପେ ଗ୍ରହଣ କରିବା ପାଇଁ କାହିଁକି ଆସୁନାହାନ୍ତି । ଶେଷରେ ସେ ତାଙ୍କ ପାଳିତ ପିତା ଏବଂ କିଛି ସାଥୀଙ୍କ ସହ ଦୁଷ୍ମନ୍ତଙ୍କ ରାଜଧାନୀ ଅଭିମୁଖେ ଯାତ୍ରା କଲେ । ବାଟରେ, ସେମାନଙ୍କୁ ଏକ ନଦୀ ପାର ହେବାକୁ ପଡିଲା । ଏହି ସମୟରେ ଶକୁନ୍ତଳା ନଦୀର ଗଭୀର ନୀଳ ଜଳ ଦେଇ ଆଙ୍ଗୁଳି ଚଳାଇବାଦ୍ୱାରା ରାଜା ଦୁଷ୍ମନ୍ତଙ୍କ ପ୍ରଦତ୍ତ ମୁଦ୍ରିକାଟି ଆଙ୍ଗୁଳିରୁ ଖସିଗଲା ।
ଏହାପରେ ଶକୁନ୍ତଳା ତାଙ୍କ ସ୍ୱାମୀ ରାଜା ଦୁଷ୍ମନ୍ତଙ୍କ ପ୍ରାସାଦକୁ ଯାଇଛନ୍ତି । ରାଜା ଦୁଷ୍ମନ୍ତଙ୍କ ଦରବାରରେ ପହଞ୍ଚିବା ପରେ ଶକୁନ୍ତଳା ଆଶ୍ଚର୍ଯ୍ୟ ତଥା ବିଚଳିତ ହୋଇଯାଇଥିଲେ ଯେ ତାଙ୍କ ସ୍ୱାମୀ ତାଙ୍କୁ ଚିହ୍ନି ପାରିନଥିଲେ କିମ୍ବା ତାଙ୍କ ବିଷୟରେ କିଛି ସ୍ମରଣ କରିପାରି ନଥିଲେ । ସେ ତାଙ୍କୁ ମନେ ପକାଇବାକୁ ଚେଷ୍ଟା କରିଥିଲେ ଯେ ସେ ତାଙ୍କ ପତ୍ନୀ କିନ୍ତୁ ଶାପର ପ୍ରଭାବରୁ ମୁଦ୍ରିକା ବିନା ଦୁଷ୍ମନ୍ତ ତାଙ୍କୁ ଚିହ୍ନି ପାରିନଥିଲେ । ଅପମାନିତ ହୋଇ ସେ ଜଙ୍ଗଲକୁ ଫେରିଗଲେ ଏବଂ ନିଜ ପୁଅକୁ ସାଙ୍ଗରେ ନେଇ ଏକ ଜଙ୍ଗଲରେ ନିଜେ ବସବାସ କଲେ । ଏଠାରେ ସେ ତାଙ୍କ ଦିନ ବିତାଇଥିବାବେଳେ ତାଙ୍କ ପୁଅ ଭରତ ବଡ଼ ହୋଇଥିଲେ ।
ସେହି ସମୟରେ ଜଣେ ମତ୍ସ୍ୟଜୀବୀ ଧରିଥିବା ଏକ ମାଛର ପେଟରେ ରାଜକୀୟ ମୁଦ୍ରିକାଟିଏ ପାଇ ଆଶ୍ଚର୍ଯ୍ୟ ହୋଇଗଲେ । ରାଜକୀୟ ମୁଦ୍ରାକୁ ଚିହ୍ନି ସେ ହସ୍ତିନାପୁରର ରାଜପ୍ରାସାଦକୁ ନେଇଗଲେ ଏବଂ ସେହି ମୁଦ୍ରିକାଟି ଦେଖି ଦୁଷ୍ମନ୍ତଙ୍କୁ ଶକୁନ୍ତଳାଙ୍କ ସହ ତାଙ୍କ ସୁନ୍ଦର ସ୍ମୃତି ତାଙ୍କ ମନେ ପଡିଗଲା । ସେ ସଙ୍ଗେ ସଙ୍ଗେ ତାଙ୍କୁ ଖୋଜିବାକୁ ବାହାରିଲେ ଏବଂ ପିତାଙ୍କ ଆଶ୍ରମରେ ପହଞ୍ଚି ଦେଖିଲେ ଯେ ସେ ଆଉ ନାହାଁନ୍ତି । ସେ ନିଜ ପତ୍ନୀଙ୍କୁ ଖୋଜିବା ପାଇଁ ଘଞ୍ଚ ଜଙ୍ଗଲ ଭିତରକୁ ଚାଲିଗଲେ ଏବଂ ଜଙ୍ଗଲରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ତାଙ୍କ ସାମ୍ନାକୁ ଆସିଲା: ଜଣେ ଛୋଟ ବାଳକ ଏକ ସିଂହର ପାଟି ଖୋଲି ଦାନ୍ତ ଗଣିବାରେ ବ୍ୟସ୍ତ ଥିଲା । ରାଜା ପିଲାଟିକୁ ଅଭିବାଦନ ଜଣାଇଲେ, ତାଙ୍କର ସାହସ ଏବଂ ଶକ୍ତି ଦେଖି ଆଶ୍ଚର୍ଯ୍ୟ ହୋଇ ତାଙ୍କ ନାମ ପଚାରିଲେ । ପିଲାଟି ଉତ୍ତର ଦେଲା ଯେ ସେ ରାଜା ଦୁଷ୍ମନ୍ତଙ୍କ ପୁତ୍ର ଭରତ । ପିଲାଟି ତାଙ୍କୁ ଶକୁନ୍ତଳାଙ୍କ ନିକଟକୁ ନେଇଗଲା ଏବଂ ଏହିପରି ଭାବରେ ଶକୁନ୍ତଳା ଏବଂ ଦୁଷ୍ମନ୍ତଙ୍କ ମିଳନ ସମ୍ଭବ ହେଲା ।[୨]
ଚଳଚ୍ଚିତ୍ର ଓ ଛୋଟ ପରଦାରେ ରୂପାୟନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Story of Shakuntala & Dushyanta. | Mahabharata Stories, Summary and Characters from Mahabharata". www.mahabharataonline.com. Archived from the original on 22 October 2020. Retrieved 14 December 2020.
- ↑ ୨.୦ ୨.୧ ୨.୨ Viswanathan, Priya (16 September 2011). "Shakuntala - the Epitome of Beauty, Patience and Virtue". Dolls of India (in ଇଂରାଜୀ). Retrieved 14 December 2020.
- ↑ Sattar, Arshia (22 June 2017). "The ultimate male fantasy". The Hindu (in Indian English). Retrieved 14 December 2020.
- ↑ "The Mahabharata, Book 1: Adi Parva: Sambhava Parva: Section LXXII". www.sacred-texts.com. Retrieved 14 December 2020.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |