ଜିମ୍ କର୍ବେଟ୍
ଜେମସ୍ ଏଡୱାର୍ଡ୍ "ଜିମ୍" କର୍ବେଟ୍ | |
---|---|
ଜନ୍ମ | ପୁରା ନାମ ଜେମସ୍ ଏଡୱାର୍ଡ୍ (ବା ଏଡୱାର୍ଡ୍ ଜେମସ୍) କର୍ବେଟ୍ ୨୫ ଜୁଲାଇ ୧୮୭୫ |
ମୃତ୍ୟୁ | ଅପ୍ରେଲ ୧୯, ୧୯୫୫ |
ଜାତୀୟତା | ବ୍ରିଟିଶ୍-ଭାରତୀୟ |
ବୃତ୍ତି(ସମୂହ) | ଶିକାରୀ, ପ୍ରକୃତିପ୍ରେମୀ, ଲେଖକ |
ଜେମସ୍ ଏଡୱାର୍ଡ୍ କର୍ବେଟ୍ (୨୫ ଜୁଲାଇ ୧୮୭୫ – ୧୯ ଅପ୍ରେଲ୍ ୧୯୫୫) ଜଣେ ବ୍ରିଟିଶ୍ ଭାରତୀୟ ଶିକାରୀ, ପ୍ରକୃତିପ୍ରେମୀ, ଲେଖକ ଓ ପରବର୍ତ୍ତୀ ସମୟରେ ବ୍ୟାଘ୍ର ସଂରକ୍ଷଣ ବାର୍ତ୍ତାର ପ୍ରଚାରକ । ସେ ଅନେକ ନରଖାଦକ ମହାବଳ ବାଘ ଓ କଲରା ପତରିଆ ବାଘର ଶିକାର କରିଥିବାରୁ ଉତ୍ତର ଭାରତର ଅନେକ ଗାଁରେ ଜଣାଶୁଣା ଥିଲେ । କର୍ବେଟ୍ ଭାରତରେ ଅବସ୍ଥାପିତ ବ୍ରିଟିଶ୍ ସେନାରେ ଜଣେ କର୍ଣ୍ଣେଲ୍ ଭାବରେ କାର୍ଯ୍ୟରତ ଥିଲେ । ବ୍ରିଟିଶ୍ ସରକାରଙ୍କ ଅନୁରୋଧରେ ତତ୍କାଳୀନ ଉତ୍ତର ପ୍ରଦେଶର ଗଡୱାଲ୍ ଓ କୁମାୟୁଁ ଅଞ୍ଚଳରେ ନରଖାଦକ ପାଲଟିଥିବା ବାଘମାନଙ୍କୁ ଶିକାର କରି ଅନେକ ଜୀବନ ରକ୍ଷା କରିଥିଲେ ।
ସେ କୁମାୟୁଁର ନରଖାଦକ, ଜଙ୍ଗଲ ତଥ୍ୟ ଆଦି ଅନେକ ପୁସ୍ତକର ଲେଖକ ମଧ୍ୟ । ସର୍ବସାଧାରଣ ଓ ସମାଲୋଚକଙ୍କଦ୍ୱାରା ଆଦୃତ ତାଙ୍କ ପୁସ୍ତକମାନଙ୍କରେ ନିଜ ଶିକାର ସମୟର ଅନେକ ସ୍ମୃତି ବର୍ଣ୍ଣନା କରିଛନ୍ତି । ପରବର୍ତ୍ତୀ ସମୟରେ କର୍ବେଟ୍ ଜଙ୍ଗଲୀ ଜନ୍ତୁଙ୍କ ଚିତ୍ରତ୍ତୋଳନରେ ମନୋନିବେଶ କରିଥିଲେ । ଲୋପ ପାଇଯାଉଥିବା ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସମାଜରେ ଜାଗରଣ ସୃଷ୍ଟି କରିବା ଦିଗରେ ମନ ବଳାଇଥିଲେ । ମହାବଳ ବାଘମାନଙ୍କୁ ନିରାପଦ ଆସ୍ଥାନ ଦେବା ଉଦ୍ଦେଶ୍ୟରେ ଉତ୍ତର ପ୍ରଦେଶ ସରକାରଙ୍କୁ ଅନୁରୋଧ କରି ସେ ହାଇଲେ ଜାତୀୟ ଉଦ୍ୟାନର ସ୍ଥାପନ କରିବାରେ ସାହାଯ୍ୟ କରିଥିଲେ । ତାଙ୍କ ସମ୍ମାନରେ ୧୯୫୭ ମସିହାରେ ଏହାକୁ କର୍ବେଟ୍ ଜାତୀୟ ଉଦ୍ୟାନ (କର୍ବେଟ୍ ଅଭୟାରଣ୍ୟ) ବୋଲି ନାମିତ କରାଗଲା ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]କର୍ବେଟ୍ କୁମାୟୁଁର ନୈନିତାଲରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଖ୍ରୀଷ୍ଟୋଫର୍ ୱିଲିୟମ୍ କର୍ବେଟ୍ ଓ ମାତା ମେରି ଜେନଙ୍କ ପରିବାରରେ ସମୁଦାୟ ୧୬ ଜଣ ସନ୍ତାନ ସନ୍ତତି ଥିଲେ ।[୧] କର୍ବେଟ୍ ସେମାନଙ୍କ ମଧ୍ୟରେ ଅଷ୍ଟମ ଥିଲେ । ଖ୍ରୀଷ୍ଟୋଫର୍ କର୍ବେଟ୍ ୧୮୬୨ରେ ସାମରିକ ସେବାରୁ ଅବ୍ୟାହତି ନେଇ ନୈନିତାଲକୁ ଆସିଥିଲେ ଓ ସେଠାରେ ଡାକସେବାରେ କାମ କରିବା ଆରମ୍ଭ କଲେ । ଶୀତମାସରେ ଏହି ପରିବାର ପର୍ବତର ପାଦଦେଶରେ “ଛୋଟ ହଲ୍ଦୱାନୀ” ନାମକ ଗ୍ରାମରେ ରହୁଥିଲେ । ଏହି ଗ୍ରାମ ଏବେ କାଲାଦୁଂଗି ନାମରେ ପରିଚିତ । ମେରି ଜେନ୍ ନୈନିତାଲରେ ବସବାସ କରୁଥିବା ଇଉରୋପୀୟ ସାମାଜରେ ଅତି ଜଣାଶୁଣା ଥିଲେ ।[୨] ଖ୍ରୀଷ୍ଟୋଫର୍ କର୍ବେଟ୍ ୧୮୭୮ରେ ଅବସର ଗ୍ରହଣ କରିଥିଲେ । ୨୧ ଅପ୍ରେଲ୍ ୧୮୮୧ରେ, ଜିମ୍ ୬ ବର୍ଷ ବୟସର ହୋଇଥିବା ବେଳେ, ଖ୍ରୀଷ୍ଟୋଫର୍ ହୃଦଘାତ ଯୋଗୁଁ ମୃତ୍ୟୁବରଣ କରିଥିଲେ । ଜିମଙ୍କ ବଡ଼ଭାଇ ଟମ୍ ପୋଷ୍ଟ ମାଷ୍ଟର ଭାବେ ଯୋଗଦେଇ ପରିବାରର ଭାର ଗ୍ରହଣ କରିଥିଲେ । ଅଳ୍ପ ବୟସରୁ ଜିମ୍ କାଲାଦୁଂଗି ପାର୍ଶ୍ୱବର୍ତ୍ତୀ ଜଙ୍ଗଲ ଜୀବନଦ୍ୱାରା ଖୁବ୍ ପ୍ରଭାବିତ ହୋଇଥିଲେ । ବାରମ୍ବାର ବନରେ ଭ୍ରମଣକରି ସେ ପଶୁପକ୍ଷୀଙ୍କ ଶବ୍ଦଦ୍ୱାରା ସେମାନଙ୍କୁ ଚିହ୍ନିବା ଆରମ୍ଭ କଲେ । ସମୟକ୍ରମେ ସେ ଜଣେ ଭଲ ଶିକାରୀ ଭାବେ ପରିଚିତ ହେଲେ । ସେ ଓକ୍ ଓପନିଙ୍ଗ୍ସ୍ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଥିଲେ । ପରବର୍ତ୍ତୀ କାଳରେ ଏହି ବିଦ୍ୟାଳୟ ହାଲେଟ୍ ସାମରିକ ବିଦ୍ୟାଳୟ ଓ ବିର୍ଲା ବିଦ୍ୟାମନ୍ଦିର ଭାବେ ନାମିତ ହେଲା । ଉଣେଇଶି ବର୍ଷ ବୟସରୁ ସେ ରେଳସେବାରେ ଯୋଗଦେଇ ବଙ୍ଗ, ପଞ୍ଜାବ, ବିହାର ଏପରି ଅନେକ ସ୍ଥାନରେ କାମ କରିଥିଲେ । [୩]
ନରଖାଦକ ମହାବଳ ବାଘ ଓ କଲରା ପତରିଆ ବାଘଙ୍କ ଶିକାର
[ସମ୍ପାଦନା]ନିଜ ଜୀବନକାଳରେ କର୍ବେଟ୍ ଅନେକ ମହାବଳ ଓ କଲରା ପତରିଆ ବାଘଙ୍କ ଶିକାର କରିଥିଲେ । ଏମାନଙ୍କ ମଧ୍ୟରୁ କେବଳ ୧୨ଟି ନରଖାଦକ ବୋଲି ସରକାରୀ ଗଣନାରୁ ଜଣାଯାଏ । କର୍ବେଟ୍ ନିଜେ ଲେଖିଥିବା ପୁସ୍ତକମାନଙ୍କରେ କେତେ ଜୀବନହାନି ହୋଇଥିଲା ତାହାର ଏକ ଆକଳନ ପ୍ରଦାନ କରିଛନ୍ତି । କର୍ବେଟଙ୍କ ଅନୁସାରେ ସମୁଦାୟ ୧୨୦୦ଟି ଜୀବନହାନି ହୋଇଥିଲା । ଏହି ଆକଳନ ସରକାରୀ ଗଣନାଠାରୁ ଢେର୍ ଅଧିକ ।
କର୍ବେଟ୍ ସର୍ବପ୍ରଥମେ ଚମ୍ପାୱତ୍ ନରଖାଦକର ଶିକାର କରିଥିଲେ । ସରକାରୀ ଗଣନା ଅନୁସାରେ ଏହି ବାଘ ୪୩୬ଟି ପ୍ରାଣହାନି ଘଟାଇଥିଲା ।[୪] କର୍ବେଟ୍ ୧୯୧୦ରେ ପାନାରରେ ଏକ କଲରା ପତରିଆ ବାଘର ଶିକାର କରିଥିଲେ । ଏହି ବାଘ ପ୍ରାୟ ୪୦୦ଟି ଜୀବନ ନେଇଥିଲା ବୋଲି କୁହାଯାଏ । କେଦାରନାଥ ଓ ବଦ୍ରିନାଥ ଯାଉଥିବା ତୀର୍ଥଯାତ୍ରୀଙ୍କ ପାଇଁ କାଳ ସାଜିଥିବା ଓ ପ୍ରାୟ ୧୨୬ଟି ଜୀବନହାନି ଘଟାଇଥିବା ରୁଦ୍ରପ୍ରୟାଗର ନରଖାଦକ କଲରା ପତରିଆ ବାଘ ୧୯୨୬ ମସିହାରେ କର୍ବେଟଙ୍କଦ୍ୱାରା ନିହତ ହୋଇଥିଲା । କର୍ବେଟଙ୍କଦ୍ୱାରା ନିହତ ଅନ୍ୟାନ୍ୟ ଜଣାଶୁଣା ନରଖାଦକଙ୍କ ମଧ୍ୟରେ ତଲ୍ଲାଦେଶ ନରଖାଦକ, ମୋହାନ ନରଖାଦକ, ଥାକ୍ ନରଖାଦକ, ମୁକ୍ତେଶ୍ୱର ନକଖାଦକ ଓ ଚୌଗଡର ବାଘୁଣୀ ଅନ୍ୟତମ ।
ପ୍ରାୟତଃ ନରଖାଦକମାନେ କୌଣସି ରୋଗରେ ଆକ୍ରାନ୍ତ ହୋଇ ବା କୌଣସି ଶାରୀରିକ ବିକୃତି ଯୋଗୁଁ ନିଜର ସାଧାରଣ ଶିକାର ମାରିବାରେ ଅସମର୍ଥ ହୋଇ ସହଜରେ ଉପଲବ୍ଧ ମନୁଷ୍ୟମାନଙ୍କୁ ଶିକାର କରନ୍ତି । ଝିଙ୍କ କାଠି ଗୋଡରେ ପଶିଲେ, କୌଣସି ଶିକାରର ଗୁଳିରେ କ୍ଷତାକ୍ତ ହୁଅନ୍ତି । ଅନେକ ଦିନ ଯାଏଁ ଏହି କ୍ଷତ ନ ଶୁଖିଲେ ଜନ୍ତୁମାନେ ନିଜର ଦୌଡିବାର ବେଗ ହରାନ୍ତି ଓ ବଣରେ ଛପିଛପି ଚାଲିପାରନ୍ତି ନାହିଁ । ତେଣୁ କ୍ଷୁଧାତୁର ହୋଇ ଧୀରଗତିରେ ଚାଲବୁଲ କରୁଥିବା, ଜଙ୍ଗଲରେ କାର୍ଯ୍ୟରତ ଥିବା ବା ନିତ୍ୟକର୍ମ କରୁଥିବା ବେଳେ ମଣିଷମାନଙ୍କୁ ଆକ୍ରମଣ କରିଥାନ୍ତି । ମୁକ୍ତେଶ୍ୱର ନରଖାଦକ ଓ ଥାକ୍ ନରଖାଦକ ଏହି ବିବେଚନାର ଉଦାହରଣ । କୁମାୟୁଁର ନରଖାଦକ ବହିର ଉପକ୍ରମରେ କର୍ବେଟ୍ ଲେଖନ୍ତି: ବାଘର ଦେହରେ ଦେଖାଯାଇଥିବା ଏହି କ୍ଷତର କାରଣ ଖାମଖିଆଲି ଭାବେ ଫୁଟାଯାଇଥିବା ଗୁଳି ଓ ପରବର୍ତ୍ତୀ ସମୟରେ ବାଘଟିକୁ ଛପି ମାରି ନପାରିବା ଯୋଗୁଁ ବାଘଟି ନରଖାଦକ ପାଲଟି ଥାଇପାରେ । ତା’ ଦେହର କ୍ଷତର କାରଣ ଝିଙ୍କର ଶିକାର କରୁଥିବା ବେଳେ ତା’ ନିଜର ଭୁଲ ମଧ୍ୟ ହୋଇପାରେ ।
କର୍ବେଟ୍ ଏକାକୀ ବଣରେ ଚାଲି ଚାଲି ଏହି ଭୟଙ୍କର ନରଭକ୍ଷୀଙ୍କ ଶିକାର କରିବାକୁ ପସନ୍ଦ କରୁଥିଲେ । ଅନେକ ସମୟରେ ସେ ନିଜ ପ୍ରିୟ କୁକୁର ରବିନ୍ ସହିତ ଶିକାରରେ ଯାଉଥିଲେ । ରବିନ୍ ବିଷୟରେ ସେ କୁମାୟୁଁର ନରଖାଦକ ବହିରେ ଉଲ୍ଲେଖ କରିଛନ୍ତି ।[୫]
ଶିକାରୀରୁ ସଂରକ୍ଷଣବାଦୀ
[ସମ୍ପାଦନା]ନିଜ ବନ୍ଧୁ ଫ୍ରେଡରିକ୍ ୱାଲ୍ଟର୍ ଚାମ୍ପିୟନଙ୍କଦ୍ୱାରା ଅନୁପ୍ରାଣିତ ହୋଇ କର୍ବେଟ୍ ୧୯୨୦ ମସିହାରେ ନିଜ ପ୍ରଥମ କ୍ୟାମେରା କିଣିଥିଲେ ଓ ବଣରେ ବାଘମାନଙ୍କ ଚିତ୍ର ଉତ୍ତୋଳନ କରିବାକୁ ଲାଗିଲେ । ବାଘମାନେ ଅତି ସଜାଗ ରହି ମନୁଷ୍ୟଠାରୁ ଦୂରରେ ରହିବା ପସନ୍ଦ କରନ୍ତି । ତେଣୁ ଜଙ୍ଗଲର ଗୁଢ ଜ୍ଞାନ ଥାଇ ମଧ୍ୟ କର୍ବେଟଙ୍କ ପାଇଁ ଏକ ଭଲ ବାଘ ଫଟୋ ଉଠାଇବା ଅତି କଷ୍ଟସାଧ୍ୟ କାମ ହୋଇଥିଲା ।
କୌଣସି ବାଘ ମଣିଷ ମାରିବା ସିଦ୍ଧ ନ ହେଲାଯାଏଁ କର୍ବେଟ୍ ତାହାର ଶିକାର କରିବା ପାଇଁ ମନ ବଳାଉନଥିଲେ ବୋଲି ଜନସାଧାରଣରେ କଥିତ ଥିଲା ।[୬] କିନ୍ତୁ କୌଣସି ଜୀବନହାନି ଘଟାଇନଥିବା ବୃହଦାକାର ବିଶିଷ୍ଟ ପୋୱଲଗଡର କୁମାରକୁ କର୍ବେଟ୍ ଶିକାର କରିବା ଏହି ମତର ବ୍ୟତିକ୍ରମ ବୋଲି କହିହେବ । [୭]
କର୍ବେଟ୍ ଛାତ୍ରଛାତ୍ରୀମାନଙ୍କୁ ନିଜର ପ୍ରାକୃତିକ ସମ୍ପଦ, ବଣ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସମ୍ପର୍କରେ ବୁଝାଉଥିଲେ । ଉତ୍ତର ଭାରତର ରାଜ୍ୟମାନଙ୍କରେ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ସେ କେତେକ ସଂସ୍ଥାର ଗଠନ କରିଥିଲେ । ଚାମ୍ପିୟନଙ୍କ ସହିତ ସେ ଭାରତର ପ୍ରଥମ ଜାତୀୟ ଉଦ୍ୟାନର ସ୍ଥାପନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଲର୍ଡ୍ ମାଲ୍କମ୍ ହେଲିଙ୍କ ନାମାନୁସାରେ ଏହି ଜାତୀୟ ଉଦ୍ୟାନକୁ ହେଲି ଜାତୀୟ ଉଦ୍ୟାନ ବୋଲି କୁହାଗଲା । ୧୯୫୭ ମସିହାରେ ଏହାକୁ କର୍ବେଟ୍ ଜାତୀୟ ଉଦ୍ୟାନର ନାମ ଦିଆଯାଇଥିଲା । [୮]
କର୍ବେଟଙ୍କ ମନରେ କାଲାଦୁଂଗି ଓ ଉତ୍ତର ପ୍ରଦେଶର ଅନ୍ୟ ଗ୍ରାମର ଗରିବଗୁରୁବାଙ୍କ ପ୍ରତି ସହାନୁଭୂତି ରହିଥିଲା । ରେଳବାଇର କଣ୍ଟ୍ରାକ୍ଟର ଭାବେ କାର୍ଯ୍ୟରତ ଥିବା ସମୟରେ ସେ ମୋକାମେହ ଘାଟରେ ଅନେକ ଗରିବଙ୍କୁ ନିଯୁକ୍ତି ଦେଇଥିଲେ । “ମୋ ଭାରତ” ପୁସ୍ତକରେ ଏହି ଗରିବ ଓ ସରଳ ପାହାଡ଼ିଆ ଲୋକଙ୍କ ମଧ୍ୟରେ ବିତେଇଥିବା ସମୟକୁ ମନେପକାଇ ଏହି ପୁସ୍ତକଟିକୁ ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।
କେନିଆରେ ଅବସର ଜୀବନ
[ସମ୍ପାଦନା]ନିଜ ଭଉଣୀ ମେଗି କର୍ବେଟଙ୍କ ସହିତ ଜିମ୍ “ଗର୍ନି ହାଉସ୍”ରେ ରହୁଥିଲେ । ଏହି ଘରଟିକୁ ୧୯୪୭ ମସିହାରେ ସେମାନେ ଶ୍ରୀମତୀ କଳାବତୀ ବର୍ମାଙ୍କୁ ବିକ୍ରି କରି କେନିଆ ଚାଲିଯାଇଥିଲେ । ଏହି ଘରଟିକୁ ବର୍ତ୍ତମାନ ଜିମ୍ କର୍ବେଟ୍ ସଂଗ୍ରହାଳୟରେ ପରିବର୍ତ୍ତିତ କରାଯାଇଛି । ୧୯୪୭ ପରେ ଜିମ୍ ଓ ତାଙ୍କ ଭଉଣୀ ମେଗି ଅବସର ନେଇ କେନିଆର ନିୟେରିରେ ବସବାସ କରୁଥିଲେ । କେନିଆରେ ମଧ୍ୟ କର୍ବେଟ୍ କ୍ରମଶଃ ବିଲୋପ ହେଉଥିବା ବାଘମାନଙ୍କ ସଂରକ୍ଷଣର ବାର୍ତ୍ତା ପ୍ରଚାର କରୁଥିଲେ । ପିତା ରାଜା ଜର୍ଜ୍(ଷଷ୍ଠ)ଙ୍କ ମୃତ୍ୟୁ ବେଳକୁ ରାଜକୁମାରୀ ଏଲିଜାବେଥ କେନିଆ ବୁଲିଯାଇଥିଲେ ଓ କର୍ବେଟଙ୍କ ମଞ୍ଚାଘର(ଟ୍ରି ଟପ୍ସ୍)ରେ ରହୁଥିଲେ ।
ଟ୍ରି ଟପ୍ସ୍ ନାମକ ନିଜର ଷଷ୍ଠ ପୁସ୍ତକ ଲେଖିସାରିବାର ଅଳ୍ପ କିଛି ଦିନ ପରେ କର୍ବେଟ୍ ହୃଦଘାତରେ ପ୍ରାଣ ହରାଇଥିଲେ । ତାଙ୍କର ଅନ୍ତିମ କ୍ରିୟା ନିୟେରିର ସେଣ୍ଟ୍ ପିଟର୍ସ୍ ଆଙ୍ଗଲିକାନ୍ ଗୀର୍ଜାଘର ପ୍ରାଙ୍ଗଣରେ ହୋଇଥିଲା । ମୋତି ହାଉସ୍ (ନିଜ ବନ୍ଧୁ ମୋତି ସିଂଙ୍କ ପାଇଁ ସେ ତିଆରି କରିଥିବା ଘର) ଓ କର୍ବେଟ୍ ପ୍ରାଚୀର (ପ୍ରାୟ ୭.୨ କି.ମି. ଲମ୍ବା ଏକ ପ୍ରାଚୀର ଯାହା ବନ୍ୟଜନ୍ତୁଙ୍କଠାରୁ ଫସଲର ରକ୍ଷା କରିବା ପାଇଁ ଗାଁ ଚାରିପଟେ ନିର୍ମିତ ହୋଇଥିଲା) ତାଙ୍କ ସ୍ମୃତି ବହନ କରି ଆଜି ବି ଦଣ୍ଡାୟମାନ ।
କୁମାୟୁଁର ନରଖାଦକ ପୁସ୍ତକଟି ଭାରତ, ଯୁକ୍ତରାଜ୍ୟ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ବହୁଳ ସଫଳତା ହାସଲ କରିଥିଲା । ପରେ ଏହି ପୁସ୍ତକର ପ୍ରାୟ ୨୭ଟି ଭାଷାରେ ଅନୁବାଦ ପ୍ରକାଶ ପାଇଲା । ଜଙ୍ଗଲ ତଥ୍ୟ (ଇଂରାଜୀରେ Jungle Lore) ନାମକ କର୍ବେଟଙ୍କ ଚତୁର୍ଥ ପୁସ୍ତକ ତାଙ୍କ ଆତ୍ମଜୀବନୀ କହିଲେ ଅତ୍ୟୁକ୍ତି ହେବନାହିଁ । ୧୯୬୮ ମସିହାରେ ବାଘଙ୍କର ଏକ ଭାରତୀୟ-ଚୀନୀ ପ୍ରଜାତି ମଧ୍ୟ ତାଙ୍କ ନାମାନୁସାରେ ପାନ୍ଥେରା ଟାଇଗ୍ରିସ୍ କର୍ବେଟି ବୋଲି ନାମିତ ହୋଇଛି । ଜିମ୍ କର୍ବେଟ୍ ସଂସ୍ଥାନର ପ୍ରତିଷ୍ଠାତା ଜେରି ଏ. ଜଲୀଲଙ୍କଦ୍ୱାରା କେନିଆରେ ବହୁକାଳରୁ ଅବହେଳିତ ଅବସ୍ଥାରେ ଥିବା ଜିମ୍ ଓ ତାଙ୍କ ଭଉଣୀଙ୍କ ସମାଧିସ୍ଥଳ ୧୯୯୪ ଓ ୨୦୦୨ରେ ମରାମତ ହୋଇଥିଲା ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]କର୍ବେଟ୍ ସାରା ଜୀବନ ଅବିବାହିତ ରହିଥିଲେ । ସେ ପସନ୍ଦ କରୁଥିବା ଝିଅ ତାଙ୍କ ମାଟ ଓ ଭଉଣୀ ମ୍ୟାଗିଙ୍କୁ ପସନ୍ଦ ନ ଆସିବାରୁ ସେ କୌଣସି ବିବାହ ପ୍ରସ୍ତାବରେ ଆଗକୁ ବଢ଼ି ପାରିଲେ ନାହିଁ । ନିଜ ବନ୍ଧୁ ସାର୍ ୱିଲିୟମ୍ ଇବଟସନଙ୍କ ପତ୍ନୀ ଜିନ୍ ସହିତ ତାଙ୍କର ପ୍ରେମ ସମ୍ପର୍କ ରହିଥିଲା ବୋଲି ଶୁଣାଯାଏ ।[୯]
ହଲିଉଡ୍ ଚଳଚ୍ଚିତ୍ର
[ସମ୍ପାଦନା]କୁମାୟୁଁର ନରଖାଦକ ପୁସ୍ତକର ସଫଳତା ପରେ, ୧୯୪୮ ମସିହାରେ ବାଇରନ୍ ହାସକିନଙ୍କ ନିର୍ଦ୍ଦେଶିତ ଓ ସାବୁ, ୱେଣ୍ଡେଲ୍ କୋରେ ଓ ଜୋ ପେଜଙ୍କଦ୍ୱାରା ଅଭିନୀତ କୁମାୟୁଁର ନରଖାଦକ ନାମରେ ଏକ ହଲିଉଡ୍ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା । ଏହି ଚଳଚ୍ଚିତ୍ର କର୍ବେଟଙ୍କ କୌଣସି କାହାଣୀକୁ ଆଧାର କରି ନିର୍ମିତ ହୋଇନଥିଲା । ଏଥିରେ ଏକ ନୂଆ କାହାଣୀର ଉଦ୍ଭାବନ ହୋଇଥିଲା । ବାଘଙ୍କର କେତେକ ସୁନ୍ଦର ଗତିଚିତ୍ର ଥିବା ସତ୍ତ୍ୱେ ଏହି ଚଳଚ୍ଚିତ୍ର ନିରାଶଜନକ ପ୍ରଦର୍ଶନ କରିଥିଲା । କର୍ବେଟ୍ ଏହି ଚଳଚ୍ଚିତ୍ରକୁ କଟାକ୍ଷ କରି କହିଥିଲେ ଯେ ବାଘଟି ସମସ୍ତଙ୍କ ମଧ୍ୟରେ ଶ୍ରେଷ୍ଠ ଅଭିନେତା ଥିଲା । [୧୦]
ଅନ୍ୟାନ୍ୟ ରୂପାନ୍ତରଣ
[ସମ୍ପାଦନା]୧୯୮୬ରେ ବିବିସିଦ୍ୱାରା ପ୍ରଯୋଜିତ ଭାରତର ନରଖାଦକ (ଇଂରାଜୀରେ Man-Eaters of India) ନାମକ ଏକ ଧାରାବାହିକ-ଚଳଚ୍ଚିତ୍ର ନିର୍ମିତ ହୋଇଥିଲା । ଏଥିରେ ଫ୍ରେଡେରିକ୍ ଟ୍ରେଭେସ୍ କର୍ବେଟ୍ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ୨୦୦୨ରେ ଆଇମ୍ୟାକ୍ସଦ୍ୱାରା ପ୍ରଯୋଜିତ ଭାରତ: ବାଘଙ୍କ ସାମ୍ରାଜ୍ୟ (ଇଂରାଜୀରେ India: Kingdom of the Tiger) ଚଳଚ୍ଚିତ୍ର ନିର୍ମିତ ହୋଇଥିଲା ଯେଉଁଥିରେ ଖ୍ରୀଷ୍ଟୋଫର୍ ହେୟେର୍ଦାଲ୍ କର୍ବେଟଙ୍କ ଭୂମିକାରେ ଅଭିନୟ କରିଥିଲେ । ଜାସନ୍ ଫ୍ଲେମିଙ୍ଗ୍ ୨୦୦୫ରେ ନିର୍ମିତ “ରୁଦ୍ରପ୍ରୟାଗର ନରଖାଦକ କଲରା ପତରିଆ ବାଘ”ନାମକ ଟେଲିଭିଜନ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ସମ୍ମାନ
[ସମ୍ପାଦନା]୧୯୨୮ରେ କର୍ବେଟଙ୍କୁ କାଇଜର୍-ଏ-ହିନ୍ଦ୍ ସମ୍ମାନ ପ୍ରଦାନ କରାଯାଇଥିଲା ।[୧୧] ୧୯୪୬ରେ ରାଜାଙ୍କ ଜନ୍ମଦିନରେ ତାଙ୍କୁ ଭାରତୀୟ ସାମ୍ରାଜ୍ୟର “କମ୍ପାନିଅନ୍ ଅଫ୍ ଦ ଓର୍ଡର୍” ସମ୍ମାନରେ ଅଭିହିତ କରାଯାଇଥିଲା ।[୧୨]
କର୍ବେଟଙ୍କଦ୍ୱାରା ଲିଖିତ ପୁସ୍ତକ
[ସମ୍ପାଦନା]ପୁସ୍ତକ | ମୂଳ ଇଂରାଜୀ ପୁସ୍ତକର ନାମ | ମୂଳ ପୁସ୍ତକର କାଶକ | ଓଡ଼ିଆ ଅନୁବାଦ |
---|---|---|---|
ଜଙ୍ଗଲ କାହାଣୀ | Jungle Stories | ୧୯୩୫ରେ ପ୍ରକାଶିତ | - |
କୁମାୟୁଁର ନରଖାଦକ | Man-Eaters of Kumaon | ଅକ୍ସଫୋର୍ଡ୍ ୟୁନିଭର୍ସିଟି ପ୍ରେସ୍, ୧୯୪୪ | କୁମାୟୁଁର ନରଖାଦକ - ଡକ୍ଟର୍ ପ୍ରଫୁଲ୍ଲ କୁମାର କର |
ରୁଦ୍ରପ୍ରୟାଗର ନରଖାଦକ କଲରା ପତରିଆ ବାଘ | The Man-eating Leopard of Rudraprayag | ଅକ୍ସଫୋର୍ଡ୍ ୟୁନିଭର୍ସିଟି ପ୍ରେସ୍, ୧୯୪୭ | ରୁଦ୍ରପ୍ରୟାଗ ନରଖାଦକ - ଡକ୍ଟର୍ ପ୍ରଫୁଲ୍ଲ କୁମାର କର |
ମୋ ଭାରତ | My India | ଅକ୍ସଫୋର୍ଡ୍ ୟୁନିଭର୍ସିଟି ପ୍ରେସ୍, ୧୯୫୨ | ମୋର ଭାରତ - ଡକ୍ଟର୍ ପ୍ରଫୁଲ୍ଲ କୁମାର କର |
ଜଙ୍ଗଲ ତଥ୍ୟ | Jungle Lore | ଅକ୍ସଫୋର୍ଡ୍ ୟୁନିଭର୍ସିଟି ପ୍ରେସ୍, ୧୯୫୩ | ଜଙ୍ଗଲ ତଥ୍ୟ ଓ ଟ୍ରି ଟପ୍ସ୍ - ଡକ୍ଟର୍ ପ୍ରଫୁଲ୍ଲ କୁମାର କର |
ମନ୍ଦିରର ବାଘ ଓ ଅନ୍ୟ ନରଖାଦକ | The Temple Tiger and More Man-eaters of Kumaon | ଅକ୍ସଫୋର୍ଡ୍ ୟୁନିଭର୍ସିଟି ପ୍ରେସ୍, ୧୯୫୪ | ମନ୍ଦିରର ବାଘ - ଡକ୍ଟର୍ ପ୍ରଫୁଲ୍ଲ କୁମାର କର |
ଟ୍ରି ଟପ୍ସ୍ | Tree Tops | ଅକ୍ସଫୋର୍ଡ୍ ୟୁନିଭର୍ସିଟି ପ୍ରେସ୍, ୧୯୫୫ | ଜଙ୍ଗଲ ତଥ୍ୟ ଓ ଟ୍ରି ଟପ୍ସ୍ - ଡକ୍ଟର୍ ପ୍ରଫୁଲ୍ଲ କୁମାର କର |
ଜିମ୍ କର୍ବେଟଙ୍କ ଭାରତ | Jim Corbett's India | ଅକ୍ସଫୋର୍ଡ୍ ୟୁନିଭର୍ସିଟି ପ୍ରେସ୍, ୧୯୭୮ | - |
ମୋ କୁମାୟୁଁ - ଅସଂଗୃହୀତ ଲେଖାବଳୀ | My Kumaon: Uncollected Writings | ଅକ୍ସଫୋର୍ଡ୍ ୟୁନିଭର୍ସିଟି ପ୍ରେସ୍, ୨୦୧୨ | - |
ଆଧାର
[ସମ୍ପାଦନା]- ↑ Booth:20-26.
- ↑ Booth:29.
- ↑ Kala, D. C. (1979) Jim Corbett of Kumaon. Ankur Publishing House, New Delhi
- ↑ Tiger and leopard attacks in Nepal BBC News (11 July 2012)
- ↑ Rangarajan, M. (2006) India's Wildlife History: An Introduction. Permanent Black and Ranthambore Foundation, Delhi. ISBN 81-7824-140-4.
- ↑ Thapar, V. (2001) Savings Wild Tigers: the essential writings. Permanent Black, Delhi.
- ↑ Corbett, J. (1944) Man-Eaters of Kumaon. Oxford University Press.
- ↑ Beolens, B.; Watkins, M.; Grayson, M. (2009). The Eponym Dictionary of Mammals. Johns Hopkins University Press. p. 86. ISBN 978-0-8018-9304-9.
- ↑ Booth:208-209.
- ↑ Martin Booth, Carpet Sahib; A Life of Jim Corbett (New York: Oxford University Press, 1991), 230.
- ↑ ଛାଞ୍ଚ:London Gazette
- ↑ ଛାଞ୍ଚ:London Gazette